ମଲ୍ଟିଲେୟର୍ ଫାର୍ମିଂ ବା ବହୁସ୍ତରୀୟ କୃଷି: ଖର୍ଚ୍ଚ ୪ ଭାଗରୁ ଭାଗେ, ଲାଭ ୮ ଗୁଣ

benefits-multiple-cropping

ମଧ୍ୟପ୍ରଦେଶ ସାଗର ଜିଲ୍ଲାର ଜଣେ କୃଷି ଉଦ୍ୟୋଗୀ ଆକାଶ ଚୌରାସିୟା ସାତ ବର୍ଷ ତଳେ ନିଜ ୧୦ ଡେସିମଲ୍ ଜମିରେ ମଲ୍ଟିଲେୟର୍ ଫାର୍ମିଂ ପଦ୍ଧତିରେ ପରିବା ଚାଷ ଆରମ୍ଭ କରିଥିଲେ । ଏହି ପଦ୍ଧତି ସଫଳ ଓ ଲାଭଦାୟକ ପ୍ରମାଣିତ ହେବା ପରେ ଦେଶର ବିଭିନ୍ନ ରାଜ୍ୟରେ ମୋଟ ୧୮ ହଜାର ଏକର ଜମିରେ ପରିବା ଚାଷ କରୁଛନ୍ତି ଆକାଶ । ଦେଶର ୫୦ରୁ ଅଧିକ ସ୍ଥାନରେ ତାଙ୍କ ନିର୍ମିତ ମଡେଲ୍ ଫାର୍ମ ରହିଛି ଏବଂ ଏହି ପ୍ରକ୍ରିୟାରେ ଶହଶହ ଚାଷୀ ଯୋଡ଼ିହୋଇ ଜୈବିକ ପଦ୍ଧତିରେ ମଲ୍ଟିଲେୟର୍ ଫାର୍ମିଂ ଶିଖୁଛନ୍ତି । ତେବେ ଆସନ୍ତୁ ଜାଣିବା କଣ ଏହି ମଲ୍ଟିଲେୟର୍ ଫାର୍ମିଂ ।

ମଲ୍ଟିଲେୟର୍ ଫାର୍ମିଂ ବା ବହୁସ୍ତରୀୟ କୃଷି କହିଲେ, ଗୋଟିଏ ଜମିରେ ଏକାଥରକେ ୪ଟି ଫସଲ ଉତ୍ପାଦନକୁ ବୁଝାଏ । ଏଥିପାଇଁ ପ୍ରାୟତଃ ଗୋଟିଏ ଫସଲ ପାଇଁ ଆବଶ୍ୟକ ପାଣି ଓ ଖତ ବ୍ୟବହାର ହେଉଥିବାରୁ ଖର୍ଚ୍ଚ କମ୍ ହୁଏ, କିନ୍ତୁ ୪ଟି ଫସଲର ଉତ୍ପାଦନରୁ ଲାଭ ବହୁଗୁଣ ବଢ଼ିଯାଏ । ଆକାଶଙ୍କ କହିବା ଅନୁସାରେ, ଏଥିପାଇଁ କୌଣସି ଅତ୍ୟାଧୁନିକ ସାମଗ୍ରୀ କିମ୍ବା ଯନ୍ତ୍ରପାତିର ମଧ୍ୟ ଆବଶ୍ୟକତା ପଡ଼େ ନାହିଁ । ଏକ ଏକର ଜମିରେ ମଲ୍ଟିଲେୟର୍ ଫାର୍ମିଂ ପାଇଁ ବାଉଁଶ ଓ ତାରର ଏକ ମଞ୍ଚା କରିବାକୁ ପଡ଼େ । ଏଥିପାଇଁ ପ୍ରାୟ ୧ ଲକ୍ଷ ୨୫ ହଜାର ଟଙ୍କା ଖର୍ଚ୍ଚ ହୁଏ ଏବଂ ଏହା ଥରେ ପ୍ରସ୍ତୁତ ହୋଇଗଲେ ୫ ବର୍ଷ ପର‌୍ୟ୍ୟନ୍ତ ଚାଲେ । ଏହି ମଞ୍ଚା କରିବା ଫଳରେ ୭୦ ପ୍ରତିଶତ କମ୍ ଜଳସେଚନ ଖର୍ଚ୍ଚ ହୋଇଥାଏ ।

ଏହି ମଞ୍ଚା କରିବା ପାଇଁ ଏକ ଏକର ଜମିରେ ଦଶ ଫୁଟ୍ ଉଚ୍ଚତାର ପ୍ରାୟ ୨୨୦୦ ବାଉଁଶ ପୋତିବାକୁ ପଡ଼େ । ବାଉଁଶକୁ ୨ ଇଞ୍ଚ ପୋତି ୭-୮ ଫୁଟ୍ ଉଚ୍ଚତାରେ ମଞ୍ଚା ବାନ୍ଧିବାକୁ ପଡ଼େ । ୫-୬ ଫୁଟ ଦୂରତାରେ ଗୋଟିଏ ଲେଖାଏଁ ବାଉଁଶ ପୋତାଯାଏ । ପ୍ରାୟ ଦେଢ଼ କ୍ବିଣ୍ଟାଲ ପତଳା ତାର ଆଣି ବାଉଁଶ ଉପରେ ବାନ୍ଧି ମଞ୍ଚା ପ୍ରସ୍ତୁତ କରାଯାଏ । ତାର ଉପରେ ଘାସକୁ ଶୁଖାଇ ଆଚ୍ଛାଦନ କରି ଘୋଡ଼ାଇ ଦିଆଯାଏ । ଫଳରେ ମାଟିରେ ଲାଗିବାକୁ ଥିବା ଫସଲରେ ଟାଣ ଖରା ପଡ଼ିପାରେନାହିଁ । କ୍ଷେତ ଚାରିପଟେ ଶାଢ଼ି କିମ୍ବା ପଲି ନେଟ୍ ରେ ଆବଦ୍ଧ କରାଯାଏ । ଫଳରେ ବାହାକରୁ କୀଟପତଙ୍ଗ ଚାଷଜମିକୁ ଆସି ଫସଲ ନଷ୍ଟ କରିପାରନ୍ତି ନାହିଁ । ଗ୍ରୀନ ହାଉସ୍ କିମ୍ବା ସେଡ୍ ନେଟ୍ ଠାରୁ ଏହି ମଞ୍ଚା ବହୁ ଅଳ୍ପ ଖର୍ଚ୍ଚରେ ତିଆରି ହୋଇଯାଏ ।

ମଲ୍ଟିଲେୟର୍ ଫାର୍ମିଂ ପାଇଁ ଜମିକୁ ଜୈବିକ ଖତ ଦେଇ ପ୍ରସ୍ତୁତ କରିସାରିବା ପରେ ମାଟି ତଳେ ଅଦା ଲଗାଇ ଦିଆଯାଏ । ଏହା ଉପରେ ୨ ଇଞ୍ଚ ମୋଟେଇର ମାଟି ଘୋଡ଼ାଇ ମାଟି ଉପରେ ଶାଗ ଲଗାଯାଏ । ଫଳରେ ତଳେ ଅଦା ପାଇଁ ମାଟି ଅଧିକ ଶୁଖିଲା ହୋଇ ସେଥିରେ ଆର୍ଦ୍ରତା ବଜାୟ ରହେ ଏବଂ ଶାଗର ଚେର ଅଧିକ ଗଭୀରକୁ ଯାଉନଥିବାରୁ ଏହା ଅଦା ବଢ଼ିବାରେ ମଧ୍ୟ ସମସ୍ୟା ସୃଷ୍ଟି କରେ ନାହିଁ । ବରଂ ଶାଗ ପୁରା ଜମିକୁ ଘୋଡ଼ାଇ ଦେବା ଫଳରେ ଘାସ ଓ ଅନାବନା ଗଛ ଉଠିପାରେ ନାହିଁ । ଫଳରେ ଘାସ ବାଛିବା ଖର୍ଚ୍ଚ ମଧ୍ୟ କମିଯାଏ । ନିୟମିତ ବ୍ୟବଧାନରେ ଶାଗକୁ ଚେର ସହ ଉପାଡ଼ି ବିକ୍ରି କରାଯାଏ । ଫଳରେ ଅଦା ଚାଷ ପାଇଁ ମାଟି ମଧ୍ୟ କୋଡ଼ାଖୋସା କରିବାକୁ ପଡ଼େ ନାହିଁ । ଶାଗ ସହିତ ମାଟି ଉପରେ ଟମାଟୋ ଓ ଲଙ୍କା ଚାଷ ମଧ୍ୟ କରାଯାଇପାରେ । ମାଟି ତଳେ ଅଦା ଓ ଉପରେ ଶାଗ ଚାଷ ସହ ମଞ୍ଚା ଉପରେ କୁନ୍ଦୁରି, ପୋଟଳ କିମ୍ବା କଲରା ଭଳି ଲତା ଜାତୀୟ ଏବଂ ଛୋଟ ପତ୍ର ବିଶିଷ୍ଟ ଫସଲ ଲଗାଯାଏ । ଫଳରେ ତାହା ମଞ୍ଚାରେ ଫଳେ ଏବଂ ଛୋଟ ପତ୍ର କାରଣରୁ ଖରା ମଞ୍ଚା ଭିତରକୁ ଆସିବାରେ କୌଣସି ଅସୁବିଧା ହୁଏନାହିଁ । କେବଳ ଏତିକି ନୁହେଁ, ଜମି ମଝି ମଝିରେ ଅଧିକ ବ୍ୟବଧାନରେ ଅମୃତଭଣ୍ଡା ଗଛ ମଧ୍ୟ ଲଗାଯାଏ । ଅମୃତଭଣ୍ଡା ମଞ୍ଚା ଉପରକୁ ବଢ଼ିଯିବା ପରେ ସେଥିରେ ଫଳ ଧରିବା ଆରମ୍ଭ ହୁଏ । ତେଣୁ ଏହା ଅନ୍ୟ ଫସଲକୁ ମଧ୍ୟ ପ୍ରଭାବିତ କରେ ନାହିଁ । ଏହିଭଳି ଉପାୟରେ ଗୋଟିଏ ଜମିରୁ ଏକାଥରକେ ୪ଟି ଫସଲ ଉତ୍ପାଦନ ହୋଇପାରେ । ତେବେ ମାଟି, ଋତୁ, ପାଣିପାଗ ଓ ବଜାର ଚାହିଦା ଦେଖି ଫସଲ ଲଗାନ୍ତୁ ଏବଂ କେଉଁ କେଉଁ ଫସଲକୁ ଏକା ସହିତ ଲଗାଇବେ, ସେଥିପାଇଁ କୃଷି ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।

ଆକାଶ ଚୌରାସିୟାଙ୍କ କହିବା ଅନୁସାରେ ସେ ଏକ ଏକର ଜମିରୁ ବର୍ଷକୁ ଶାଗରୁ ୧ ଲକ୍ଷ, ଅଦାରୁ ୩ ଲକ୍ଷ, ଅମୃତ ଭଣ୍ଡାରୁ ୨ ଲକ୍ଷ ଏବଂ କୁନ୍ଦୁରିରୁ ୨ ଲକ୍ଷ ଟଙ୍କା ଆୟ କରୁଛନ୍ତି । ଏହି ଭଳି ମୋଟ ୮ ଲକ୍ଷ ଟଙ୍କା ଆୟରୁ ଲାଭ ପ୍ରାୟ ୫ ଲକ୍ଷ ଟଙ୍କା ମିଳୁଛି । ତାଙ୍କର ଏହି ଲାଭଦାୟକ କୃଷି ପଦ୍ଧତି ଶିଖିବାକୁ ଏବେ ତାଙ୍କ ପାଖକୁ ବିଭିନ୍ନ ରାଜ୍ୟର ଚାଷୀଙ୍କ ସୁଅ ଛୁଟିଛି ।


ସୌଜନ୍ୟ ଗାଁଓ କନେକ୍ସନ

Previous ‘ହାଉସ୍ଫୁଲ୍-୪’ରୁ ନାନା ଆଉଟ ରାଣା ଇନ୍
Next ଦର୍ଶକଙ୍କୁ ନିରାଶ କଲା ‘ଠଗସ୍ ଅଫ ହିନ୍ଦୁସ୍ତାନ’

No Comment

Leave a reply

Your email address will not be published. Required fields are marked *