ଗୋରୁଙ୍କୁ ସାହାଣା ରୋଗର କାରଣ ଓ ତା’ର ପ୍ରତିକାର

Sahana disease

ସାହାଣା ରୋଗକୁ କେହି କେହି ଗଳାଫୁଲା ବା ତଣ୍ଟି ଫୁଲା ରୋଗ କହିଥାନ୍ତି। ଏହା ପାଶ୍ଚୁରେଲା ମାଲ୍ଟୋସିଡା ନାମକ ଏକ ଜୀବାଣୁ ଯୋଗୁଁ ସୃଷ୍ଟି ହୋଇଥାଏ। ପ୍ରାୟ ସମସ୍ତ ପ୍ରାପ୍ତ ବୟସ୍କ ଗୋରୁଙ୍କ ଠାରେ ଏହି ରୋଗ ଦେଖାଯାଏ। ଏହି ରୋଗର ନିୟନ୍ତ୍ରଣ ଏବଂ ପ୍ରତିକାର ବିଷୟରେ ଜାଣିଲେ ଚାଷୀଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ ।

ରୋଗ ସୃଷ୍ଟି ହେବାର ପ୍ରଧାନ କାରଣ
୧-ଗୋରୁଙ୍କୁ ଅତ୍ୟଧିକ ପରିଶ୍ରମ କରାଇବା, ୨- ପରିବହନ ଯୋଗୁଁ କ୍ଳାନ୍ତି ସୃଷ୍ଟି ହେବା, ୩- ଓଦା ଓ ଅବାଦ୍ଧ ଗୁହାଳରେ ରଖିବା, ୪- ଶରୀର କୃମି ଯୋଗୁଁ ଦୁର୍ବଳ ହେବା, ୫- ଖାଦ୍ୟାଭାବ ଯୋଗୁଁ ସମସ୍ୟା ସୃଷ୍ଟି ହେବା, ୬- ଶରୀରରେ ରୋଗ ପ୍ରତିରୋଧକାରୀ ଶକ୍ତି ହ୍ରାସ ପାଇବା।

ରୋଗର ମୁଖ୍ୟ ଲକ୍ଷଣ
୧-ଶାରୀରିକ ଉତ୍ତାପ ୧୦୪ ରୁ ୧୦୬ ଡିଗ୍ରୀ ଫାରେନହିଟ୍ କୁ ବୃଦ୍ଧି ପାଏ, ୨- ନାକରୁ ପ୍ରଥମେ ପତଳା ଏବଂ ପରେ ପରେ ମୋଟା ସିଙ୍ଘାଣି ବାହାରେ, ୩- ତଣ୍ଟିର ଫୁଲା ସ୍ଥାନ କଠିନ, ଗରମ ଓ ଯନ୍ତ୍ରଣା ଅନୁଭବ ହୁଏ, ୪- ରୋଗ ଖୁବ ଶୀଘ୍ର ଶରୀରକୁ କବଳିତ କରିଥାଏ। ଏହି ଅବସ୍ଥାରେ ୨-୪ ଦିନ ମଧ୍ୟରେ ଏବଂ ସାଧାରଣ ଅବସ୍ଥାରେ ୫-୭ ଦିନ ମଧ୍ୟରେ ଗୋରୁର ମୃତ୍ୟୁ ହୋଇଥାଏ।

ନମୁନା ସଂଗ୍ରହ
ରୋଗାକ୍ରାନ୍ତ ଗାଈର ରକ୍ତ ଓ ବେକରେ ଫୁଲିଥିବା ସ୍ଥାନରୁ ଏକ କାଚ ସ୍ଲାଇଡ୍ ରେ ସ୍ଥାୟୀ ସ୍ମିଅର ଏବଂ ମୃତ ପଶୁର ହୃତପିଣ୍ଡର ରକ୍ତ ଓ କଲିଜାର ସ୍ମିଅର ରୋଗ ଚିହ୍ନଟ ପାଇଁ ପରୀକ୍ଷାଗାରକୁ ପଠାଯିବା ଆବଶ୍ୟକ। ଏଥିସହିତ ଏକ ବିଶୁଦ୍ଧ ପିପେଟ୍ କିମ୍ବା ଶିଶିରେ ମୃତ ଗାଈର ହୃତପିଣ୍ଡର ରକ୍ତ, ଲାସା ଗ୍ରନ୍ଥୀ (Lymph node) ଓ ପ୍ଲୀହା (Spleen)କୁ ବରଫ ମାଧ୍ୟମରେ ପଠାଇବାକୁ ହୋଇଥାଏ।

ରୋଗ ନିୟନ୍ତ୍ରଣ
୧-ବର୍ଷା ଏବଂ ଶୀତ ଋତୁ ଆରମ୍ଭରେ ବର୍ଷକୁ ୨ଥର କରି ୨ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତ ପ୍ରାପ୍ତ ବୟସ୍କ ଗୋରୁମାନଙ୍କୁ ପ୍ରତିଷେଧକ ଟିକା ଦେବା ଜରୁରୀ, ୨- ଆକ୍ରାନ୍ତ ଗାଈକୁ ସୁସ୍ଥ ପଶୁମାନଙ୍କ ଠାରୁ ଦୂରରେ ରଖିବା ଆବଶ୍ୟକ, ୩- ମୃତ ଗୋରୁଙ୍କୁ ପୋଡ଼ି ଦେବା କିମ୍ବା ପୋତିଦେବାକୁ ହୁଏ। ପୋତା ଯାଇଥିବା ସ୍ଥାନର ଚତୁଃପାଶ୍ୱର୍ରେ ଚୂନ ବା କଷ୍ଟିକ୍ ସୋଢ଼ା ପକାଇବା ଦରକାର, ୪- ଗୁହାଳକୁ ଫିନାଇଲ୍, ଡେଟଲ୍ ମିଶା ପାଣିରେ ଭଲଭାବେ ସଫା କରିବାକୁ ପଡ଼ିଥାଏ, ୫- ରୋଗାକ୍ରାନ୍ତ ଗୋରୁଙ୍କୁ ସ୍ଥାନୀୟ ପଶୁଚିକିତ୍ସକଙ୍କ ସହାୟତାରେ ତୁରନ୍ତ ଚିକିତ୍ସା କରାଇନେବା ଉଚିତ।

ପ୍ରତିଶେଧକ ଟିକା (ଓ.ବି.ପି.ଆଇ)
ସାହାଣା ଟିକା ସମସ୍ତ ପ୍ରାପ୍ତ ବୟସ୍କ ବା ୨ ବର୍ଷରୁ ଉର୍ଦ୍ଧ୍ୱ ଗାଈଗୋରୁଙ୍କୁ ଦିଆଯାଇଥାଏ।
୧-ଏଚ୍.ଏସ୍. ଭ୍ୟାକ୍ସିନ୍ (ଆଲମଯୁକ୍ତ) : ୫ ମି.ଲି. ଚମାଡ଼ା ତଳେ (୨୭୩ କେ.ଜି. ଶାରୀରିକ ଓଜନ ପର୍ଯ୍ୟନ୍ତ)। ୧୦ମି.ଲି. ଚମଡ଼ା ତଳେ (୨୭୩ କେ.ଜି. ଶାରୀରିକ ଓଜନରୁ ଉର୍ଦ୍ଧ୍ୱ)। ସୁରକ୍ଷା କାଳ – ୬ ମାସ।
୨-ଏଚ୍.ଏସ୍. ଭ୍ୟାକ୍ସିନ୍ (ତୈଳଯୁକ୍ତ) : ୨ ମି.ଲି. ମାଂସ ମଧ୍ୟରେ (୧୩୭ କେ.ଜି. ଶାରୀରିକ ଓଜନ ପର୍ଯ୍ୟନ୍ତ)। ୩ ମି.ଲି. ମାଂସ ମଧ୍ୟରେ (୧୩୭ କେ.ଜି. ଶାରୀରିକ ଓଜନରୁ ଉର୍ଦ୍ଧ୍ୱ)। ସୁରକ୍ଷା କାଳ – ୧ ବର୍ଷ।

Previous ଅଧିକ ସମୟ ମୋବାଇଲ ବ୍ୟବହାର କରୁଛନ୍ତି କି? ସାବଧାନ
Next ଭିନ୍ନ ମଣିଷ – ପ୍ରମିଳା ନିଆଳ

No Comment

Leave a reply

Your email address will not be published. Required fields are marked *