ଗୋପାଳନ କରୁଥିବା ଚାଷୀମାନେ ଗୋରୁଙ୍କର ବିଭିନ୍ନ ରୋଗ ବିଷୟରେ ସଚେତନ ହେବା ନିହାତି ଆବଶ୍ୟକ। ସଚେତନ ଚାଷୀ ଉଚିତ ସମୟରେ ରୋଗର ଚିକିତ୍ସା କରି ଗୃହପାଳିତ ପଶୁଙ୍କ ଜୀବନ ରକ୍ଷା କରିପାରିବେ। ସାଧାରଣତଃ ସୁସ୍ଥ ସବଳ ବାଛୁରୀମାନଙ୍କଠାରେ ବଜବଜିଆ ରୋଗ ଦେଖାଯାଇଥାଏ। ଏହି ରୋଗ କ୍ଲଷ୍ଟରୀଡିୟମ ଚଉଭାଇ ଓ କ୍ଲଷ୍ଟରୀଡିୟମ ସେପ୍ଟିକମ୍ ନାମକ ଜୀବାଣୁ ଯୋଗୁଁ ହୋଇଥାଏ। ବାଛୁରୀଙ୍କୁ ଏହି ରୋଗ ହେବାର କାରଣଗୁଡ଼ିକ ହେଉଛି :-
୧- ବର୍ଷା ଆରମ୍ଭରେ ଜଳବାୟୁର ଆର୍ଦ୍ରତା ଏବଂ ଉତ୍ତାପ ବୃଦ୍ଧି ପାଇବା, ୨- ଅତ୍ୟଧିକ ପୁଷ୍ଟିସାର ଯୁକ୍ତ ଖାଦ୍ୟ ଖାଇ ଜୀର୍ଣ୍ଣ ନହେବା, ୩- ମାତ୍ରାଧିକ ଶାରୀରିକ ପରିଶ୍ରମ ଯୋଗୁଁ କ୍ଳାନ୍ତ ଅନୁଭବ କରିବା, ୪- ଶରୀରର ରୋଗ ପ୍ରତିରୋଧକାରୀ ଶକ୍ତି ହ୍ରାସ ପାଇବା, ୫- ସୁସ୍ଥ ସବଳ ବାଛୁରୀର ଶରୀରରେ କ୍ଷତ ସୃଷ୍ଟି ହେବା , ୬- ସଂକ୍ରମିତ ଗୋଚରରେ ବାଛୁରୀଙ୍କୁ ଚରିବାକୁ ଛାଡ଼ିବା, ୭- ମୃତ ବାଛୁରୀଙ୍କୁ ଏଣେ ତେଣେ ଫିଙ୍ଗିବା ଦ୍ୱାରା ମାଟି ସଂକ୍ରମିତ ହେବା ଇତ୍ୟାଦି।
ରୋଗର ମୁଖ୍ୟ ଲକ୍ଷଣ
୧- ବାଛୁରୀ ଶରୀରର ଉତ୍ତାପ ୧୦୩ ଡିଗ୍ରୀରୁ ୧୦୪ ଡିଗ୍ରୀ ଫରେନହାଇଟକୁ ବୃଦ୍ଧି ପାଇଥାଏ ୨- ଶରୀରରେ ରୋଗ ବୃଦ୍ଧି ପାଇଲେ ବାଛୁରୀ କିଛି ନଖାଇ ପଡ଼ିରୁହେ, ୩- ଆଗ ଗୋଡ଼ ଉପରର କାନ୍ଧ ଅଂଶ କିମ୍ବା ପଛ ଗୋଡ଼ର ଚଟୁଆ ଅଂଶ ଫୁଲିଯାଏ ଏବଂ ଫୁଲା ସ୍ଥାନରେ ଗ୍ୟାସ ସୃଷ୍ଟି ହେବା ଯୋଗୁଁ ହାତରେ ଚିପିଲେ କଡ଼ କଡ଼ ଶବ୍ଦ ହୁଏ, ୪- ବାଛୁରୀର ପଛ ଗୋଡ଼ ଆକ୍ରାନ୍ତ ହେଲେ ବାଛୁରୀ ଛୋଟାଇଥାଏ ଏବଂ ଆଗ ଗୋଡ଼ ସଂକ୍ରମିତ ହେଲେ ବାଛୁରୀ ଛିଡ଼ା ନହୋଇପାରି ଚିତ୍ପଟାଙ୍ଗ ଅବସ୍ଥାରେ ପଡ଼ିରୁହେ, ୫- ବାଛୁରୀ ଥରିବା ସହିତ ଆକ୍ରାନ୍ତ ମାଂସପେଶୀଗୁଡ଼ିକ ଘନ ଘନ ସଂକୋଚନ ପ୍ରସାରଣ ହୋଇଥାଏ, ୬- ଚିକିତ୍ସା ଅବହେଳା କଲେ ୨୪ ରୁ ୪୮ ଘଣ୍ଟା ମଧ୍ୟରେ ବାଛୁରୀର ମୃତ୍ୟୁ ହୋଇଥାଏ। ଏଥିପାଇଁ ଆକ୍ରାନ୍ତ ବାଛୁରୀର ସଂକ୍ରମିତ ମାଂସ ଟ୍ୱିସ୍ୟୁର ମୁଦ୍ରିତକରଣ ସ୍ମିଅର୍ (Impression Smear), କ୍ଷତ ସ୍ଥାନରୁ ନିର୍ଗତ ତରଳ ପଦାର୍ଥ (Exudate) ଓ ସଂକ୍ରମିତ ମାଂସର କ୍ଷୁଦ୍ରାଂଶକୁ ବରଫ ସାହାଯ୍ୟରେ ପରୀକ୍ଷା ପାଇଁ ପଠାଇବାକୁ ହୋଇଥାଏ।
ରୋଗର ନିୟନ୍ତ୍ରଣ
୧- ବର୍ଷକୁ ଦୁଇଥର ୬ମାସରୁ ୨ ବର୍ଷ ପର୍ଯ୍ୟନ୍ତ ସମସ୍ତ ସ୍ୱଳ୍ପ ବୟସ୍କ ବାଛୁରୀଙ୍କୁ ବର୍ଷା ଏବଂ ଶୀତଦିନ ଆରମ୍ଭ ବେଳକୁ ଟୀକା ପ୍ରଦାନ କରିବା ଆବଶ୍ୟକ, ୨- ମୃତ ବାଛୁରୀଙ୍କୁ ଗଭୀର ଗାତ କରି ପୋତିବା ପରେ ଚୂନ ବା କଷ୍ଟିକ ସୋଢ଼ା ପକାଇବା ଦରକାର, ୩- ସୁସ୍ଥ ସବଳ ବାଛୁରୀଙ୍କୁ ରୋଗାକ୍ରାନ୍ତ ବାଛୁରୀଙ୍କଠାରୁ ଦୂରେଇ ରଖିବାକୁ ପଡେ଼, ୪- ସାଧାରଣତଃ ମାଟିରୁ ଏହି ଜୀବାଣୁ ବାଛୁରୀଙ୍କୁ ସଂକ୍ରମିତ କରିଥାନ୍ତି। ତେଣୁ ଉକ୍ତ ସ୍ଥାନ ଚିହ୍ନଟ କରି ବାଛୁରୀକୁ ସେଠି ଚରିବାକୁ ନଛାଡ଼ିଲେ ଭଲ, ୫- ରୋଗ ଆରମ୍ଭ ହେବା ମାତ୍ରେ ସେଙ୍ଗ ସେଙ୍ଗ ପଶୁଚିକିତ୍ସଙ୍କ ପରାମର୍ଶ କ୍ରମେ ଚିକିତ୍ସା କରାଇବା ଉଚିତ୍, ୬- ଗୁହାଳ ତଥା ବାଛୁରୀଙ୍କ ଖାଦ୍ୟ ଏବଂ ପାନୀୟକୁ ନିୟମିତ ଭାବେ ପରିଷ୍କାର ଓ ବିଶୋଧନ କରିବା ଆବଶ୍ୟକ, ୭- ଗୁହାଳରେ ଆବଶ୍ୟକ ମୁତାବକ ଗୋରୁ ରଖିବା ସହିତ ମୁକ୍ତ ବାୟୁ ଓ ସୂର୍ଯ୍ୟାଲୋକ ପ୍ରବେଶ ପାଇଁ ବ୍ୟବସ୍ଥା କରିବା ନିହାତି ଜରୁରୀ।
ପ୍ରତିଷେଧକ ଟିକା (ଓ.ବି.ପି.ଆଇ.)
ବି.କ୍ୟୁ.ଭ୍ୟାକ୍ସିନ୍ (ବାଇଭାଲାଣ୍ଟ) – ୫ ମି.ଲି. ଚମଡ଼ା ତଳେ ଏବଂ ବୁଷ୍ଟର ଡୋଜ୍ ୧୦ମ ଦିନ – ୫ ମି.ଲି. ଚମଡ଼ାତଳେ ଦିଆଯାଇଥାଏ। ଏହି ଟିକା କେବଳ ୬ ମାସରୁ ୨ ବର୍ଷର ବାଛୁରୀଙ୍କୁ ଦେବା ଉଚିତ୍।
No Comment