ଉନ୍ନତ ସପୁରୀ ଚାଷ

pineapple cultivation

ସପୁରୀ ଏକ ଗ୍ରୀଷ୍ମମଣ୍ଡଳୀୟ ଫଳଗଛ । ୨୦ରୁ ୩୬ ଡିଗ୍ରୀ ଉତ୍ତାପରେ ଏହି ଚାଷ ଭଲ ହୋଇଥାଏ । ଉର୍ବର, ନିଗିଡ଼ା, ଦୋରସା ଓ ୪୫ରୁ ୬୦ ସେ.ମି. ଗଭୀରତା ଥିବା ମାଟିରେ ଗଛ ଭଲ ବଢ଼େ । ମାଟିର ଅମ୍ଳତା ବା ପିଏଚ୍ ୫.୬-୬.୦ ମଧ୍ୟରେ ରହିବା ଆବଶ୍ୟକ । ବାଲି ଦୋରସା ଓ ବାଲିଆ ମାଟିରେ ସପୁରୀ ଅଧିକ ବାସ୍ନାଯୁକ୍ତ ହୋଇଥାଏ । ଆମ ରାଜ୍ୟର ସବୁ ଅଞ୍ଚଳରେ କ୍ୟୁ ଓ କୁଇନ୍ ୨ କିସମର ସପୁରୀ ବ୍ୟବସାୟୀକ ଭିତ୍ତିରେ ଚାଷ କରାଯାଇଥାଏ ।
ସପୁରୀର ବଂଶ ବିସ୍ତାର ପାଇଁ କନ୍ଦାପୁଆ ସର୍ବୋତ୍କୃଷ୍ଟ । ସାଧାରଣତଃ ଫଳ ଅମଳକୁ ଲକ୍ଷ୍ୟ ରଖି ଚାରା ଲଗାଇବା ଆବଶ୍ୟକ । ସେପ୍ଟେମ୍ବର-ଅକ୍ଟୋବର, ଫେବୃୟାରୀ-ମାର୍ଚ୍ଚ, ଜୁନ୍-ଜୁଲାଇ ମାସରେ ଚାରା ଲଗାଇବା ଉପଯୁକ୍ତ ସମୟ । ଜଳସେଚନର ସୁବିଧା ଥିଲେ ବର୍ଷର ଅନ୍ୟ ସମୟରେ ମଧ୍ୟ ଚାରା ଲଗାଯାଇପାରିବ । ଅତ୍ୟଧିକ ବର୍ଷାରେ ଚାରା ଲଗାଇଲେ ପଚିଯିବାର ସମ୍ଭାବନା ଥାଏ ।
ଚାରାଲଗାଇବା ପ୍ରଣାଳୀ
ଜମିକୁ ୩ରୁ ୪ ଓଡ଼ ଗୁଣ୍ଡଚାଷ କରି ଅନାବନା ଘାସ ସଫା କରିିଦିଅନ୍ତୁ । ଶେଷ ଓଡ଼ ଚାଷ ବେଳକୁ ଏକର ପ୍ରତି ୮-୧୦ ଟନ୍ ସଢ଼ା କମ୍ପୋଷ୍ଟ ସହିତ ୧୦ କି.ଗ୍ରା. କ୍ଲୋରୋପାଇରୋଫିସ୍ ୧.୫% ଗୁଣ୍ଡ ପ୍ରୟୋଗ କରନ୍ତୁ । ୩୦ ସେ.ମି. ଚଉଡ଼ା ଓ ୧୫ ସେ.ମି. ଗଭୀରର ନାଳୀ କରି ଧାଡ଼ିକୁ ଧାଡ଼ି ୬୦ ସେ.ମି. ଓ ଗଛକୁ ଗଛ ୩୦ ସେ.ମି. ବ୍ୟବଧାନ ରହିବା ଦରକାର । ଏହି ପ୍ରଣାଳୀରେ ଏକର ପ୍ରତି ୧୭,୪୦୦ ଚାରା ଲଗାଯାଇପାରିବ ।
ଚାରା ଲାଗାଇବା ସମୟରେ ସଦ୍ୟପୁଆ ନଲଗାଇ ୫-୭ ଦିନ ଛାଇରେ ଶୁଖାଇ ଦିଆଯାଏ । ପୁଆର ମୂଳରୁ ଶୁଖିଲା ପତ୍ରଗୁଡ଼ିକ ସଫାକରି ମିଥାଇଲ୍ ପାରାଥିଅନ୍ ଲିଟର ପ୍ରତି ୨ ମି.ଲି. କିମ୍ବା ଡାଇଫୋଲ୍ଟାନ୍ ଲିଟର ପ୍ରତି ୫ ଗ୍ରାମ ଦ୍ରବଣରେ ବୁଡ଼ାଇ ଲଗାଇଲେ କବକ ଜନିତ ରୋଗ ଓ କୀଟ ଆକ୍ରମଣରୁ ପୁଆକୁ ରକ୍ଷା କରାଯାଇଥାଏ ।
ଖତ ଓ ସାର
ଚାରା ଲଗାଇବା ସମୟରେ ଗଛ ପ୍ରତି ୫ ଝୁଡ଼ି ଗୋବରଖତ ଓ ୨୫ ଗ୍ରାମ୍ ସିଙ୍ଗିଲ୍ ସୁପରଫସ୍ଫେଟ୍ ଓ ମ୍ୟୁରେଟ୍ ଅଫ୍ ପଟାସ୍ ୧୦ ଗ୍ରାମ୍ ବ୍ୟବହାର କରାଯାଏ । ସେହିଭଳି ପ୍ରତି ଦୁୁଇମାସ ବ୍ୟବଧାନରେ ୧୦ ଗ୍ରାମ୍ ଲେଖାଏଁ ଆମୋନିୟମ୍ ସଲ୍ଫେଟ୍ ଓ ଚାରା ଲାଗାଇବାର ୬ମାସ ପରେ ପୁଣି ୧୦ ଗ୍ରାମ୍ ଲେଖାଏଁ ମ୍ୟୁରେଟ୍ ଅଫ୍ ପଟାସ୍ ପ୍ରତି ଗଛରେ ଦିଆଯାଏ । ଫସଲରେ ବିଭିନ୍ନ ପ୍ରକାରର ଅଣୁସାରର ଅଭାବ ଜନିତ ଲକ୍ଷ୍ୟଣ ଦେଖାଦେଲେ ଗଛପ୍ରତି ମ୍ୟାଗ୍ନେସିୟମ ୦.୬୪ ଗ୍ରାମ୍, ବୋରନ୍ ୦.୨୪ ଗ୍ରାମ୍, ଆଇରନ୍ ୦.୬୪ ଗ୍ରାମ୍ ପ୍ରୟୋଗ କରିଲେ ସୁଫଳ ମିଳେ ।
ରୋଗପୋକ ପରିଚାଳନା
କାଣ୍ଡପଚା ଓ କାଣ୍ଡସଢ଼ା ପୋକ – ପୁଆ ଲଗାଇବା ପୂର୍ବରୁ ବିଶୋଧନ କରି ଲଗାନ୍ତୁ । ଜମିରେ ପାଣି ଜମି ରହିବାକୁ ଦିଅନ୍ତୁ ନାହିଁ । ଏହି ରୋଗ ହେଲେ ଡାଇଫୋଲ୍ଟାନ୍ ଲିଟର ପ୍ରତି ୫ ଗ୍ରାମ ମିଶାଇ ଗଛରେ ପ୍ରୟୋଗ କଲେ ପୋକ ଦମନ କରାଯାଇପାରିବ ।
ମିଲିବଗ୍ ବା ଦହିଆ ପୋକ – ବଗିଚାକୁ ପରିଷ୍କାର ରଖନ୍ତୁ । ପୁଆ ଲଗାଇବାର ୩ ମାସ ପରେ ଫେରେଟ୍ ଏକର ପ୍ରତି ୮୦୦ ଗ୍ରାମ୍ ପ୍ରୟୋଗ କରନ୍ତୁ ।

ଅମଳ
ଚାରା ଲାଗାଇବାର ୧୫-୧୮ ମାସ ମଧ୍ୟରେ ଫଳ ଅମଳ ମିଳେ । ହେକ୍ଟର ପ୍ରତି ୫୦-୬୦ ଟନ୍ ଅମଳ ମିଳିଥାଏ । ଏକ ଏକର ଜମିରେ ସପୁରୀ ଚାଷ କଲେ ୩ ବର୍ଷରେ ପ୍ରାୟ ୨,୫୬,୦୦୦ ଟଙ୍କା ଆୟ ମିଳିଥାଏ । ଚାଷୀମାନେ ନିକଟସ୍ଥ ଉଦ୍ୟାନ ବିଭାଗ ଅଧିକାରୀଙ୍କ ସହ ଯୋଗାଯୋଗ କରି ଚାଷ ପାଇଁ ସହାୟତା ପାଇପାରିବେ ।

Previous କ୍ରିକେଟର ୫ଟି କଷ୍ଟସାଧ୍ୟ କଳାକୌଶଳ
Next ପୁଷ୍ଟିଯୁକ୍ତ ବାଉଁଶ କରଡ଼ି 

No Comment

Leave a reply

Your email address will not be published. Required fields are marked *