କୃଷିକ୍ଷେତ୍ରରେ ପ୍ରାକୃତିକ ଫସଲ ସୁରକ୍ଷା କୌଶଳର ଆବଶ୍ୟକତା

natural pest management tricks

ଚାଷୀମାନେ ଫସଲର ରୋଗପୋକ ଦମନ ପାଇଁ ବିଶେଷଜ୍ଞଙ୍କ ବିନା ପରାମର୍ଶରେ ଆବଶ୍ୟକତାଠାରୁ ଅଧିକ ମାତ୍ରାରେ ରାସାୟନିକ ବିଷ ବ୍ୟବହାର କରିବା ଫଳରେ ମଣିଷକୁ ଦୈନନ୍ଦିନ ଜୀବନରେ ଅନେକ ନୂଆ ନୂଆ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ୁଛି । ଏହାକୁ ପ୍ରତିହତ କରିବା ନିମନ୍ତେ ସଂପ୍ରତି କୃଷି କ୍ଷେତ୍ରରେ ସମ୍ବନିତ ରୋଗପୋକ ପରିଚାଳନା ପଦ୍ଧତି ବା ପ୍ରାକୃତିକ ଫସଲ ସୁରକ୍ଷା କୌଶଳ ଆପଣାଇବା ଅତ୍ୟନ୍ତ ଜରୁରୀ ହୋଇ ପଡ଼ିଛି । ଏହି ପଦ୍ଧତି ପରିବେଶକୁ ରାସାୟନିକ ବିଷର କୁପ୍ରଭାବରୁ ମୁକ୍ତ ରଖିବା ସହ ପ୍ରାକୃତିକ ସନ୍ତୁଳନକୁ ରକ୍ଷା କରିବାରେ ମଧ୍ୟ ସହାୟକ ହେବ । କେବଳ ସେତିକି ନୁହେଁ, ଏହି ପଦ୍ଧତି ଅନିଷ୍ଟକାରୀ ଜୀବଙ୍କ ରାସାୟନିକ ବିଷ ପ୍ରତି ବଢୁଥିବା ସହଣୀ କ୍ଷମତାକୁ ନଷ୍ଟ କରିବା ସଙ୍ଗେ ସଙ୍ଗେ କୃଷକର ‘ବନ୍ଧୁ ଜୀବଗୋଷ୍ଠୀଙ୍କୁ’ ମଧ୍ୟ ସୁରକ୍ଷା ପ୍ରଦାନ କରିଥାଏ ।
ପାରମ୍ପରିକ ଚାଷ ପ୍ରଣାଳୀ, ଯାନ୍ତ୍ରୀକ ନିୟନ୍ତ୍ରଣ ପ୍ରଣାଳୀ, ଜୈବ ନିୟନ୍ତ୍ରଣ ପ୍ରଣାଳୀ ଓ ରାସାୟନିକ ନିୟନ୍ତ୍ରଣ ପ୍ରଣାଳୀ ମଧ୍ୟରେ ଉପଯୁକ୍ତ ସାମଞ୍ଜସ୍ୟ ରଖି ସମନ୍ୱିତ ଉପାୟରେ ପ୍ରୟୋଗ କରି ଅନିଷ୍ଟକାରୀ ଜୀବଙ୍କୁ ଏକ ନିର୍ଦ୍ଦିଷ୍ଟ ଆର୍ôଥକ ଦେହଳୀ ବା ନିୟନ୍ତ୍ରୀତ ସୀମା ରେଖା ଭିତରେ ରଖିବାକୁ ‘ସମନ୍ୱିତ ରୋଗପୋକ ପରିଚାଳନା ପଦ୍ଧତି’ କୁହାଯାଏ । ଆର୍ôଥକ ଦେହଳୀ ସୀମାରେଖା କହିଲେ ପ୍ରତ୍ୟେକ ଅନିଷ୍ଟକାରୀ ଜୀବଙ୍କ ଏକ ନିର୍ଦ୍ଦିଷ୍ଟ ସଂଖ୍ୟାକୁ ବୁଝାଏ । ଏହି ସଂଖ୍ୟା ଫସଲ ଅମଳରେ ବା ଆର୍ôଥକ ରୂପରେ ଚାଷୀର କୌଣସି କ୍ଷତି କରେ ନାହିଁ । ତେବେ ଏହି ସଂଖ୍ୟା କୃଷକଙ୍କ ପାଇଁ ଏକ ସତର୍କ ଘଣ୍ଟି । କାରଣ ଅନିଷ୍ଟକାରୀ ଜୀବଙ୍କ ସଂଖ୍ୟା ଧାର୍ଯ୍ୟ ସୀମାରେଖା ଅତିକ୍ରମ କଲେ ଫସଲର  କ୍ଷତି ହେବା ସୁନିଶ୍ଚିତ । ତେଣୁ ଏ କ୍ଷେତ୍ରରେ ଉପରୋକ୍ତ କ୍ଷତିକାରକ ଜୀବ ଗୋଷ୍ଠୀଙ୍କୁ ନିୟନ୍ତ୍ରଣ କରିବା ନିହାତି ଆବଶ୍ୟକ ।
ପାରମ୍ପରିକ ଚାଷ ପ୍ରଣାଳୀ:
ଏହି ଚାଷ ପ୍ରଣାଳୀରେ ରୋଗପୋକ ଦମନ ପାଇଁ ଜମିକୁ ଗଭୀର ଭାବେ ଓଡ଼ ଖରାଟିଆ ଚାଷ କରି ପୂର୍ବ ଫସଲର ମୂଳଗୁଡ଼ିକୁ ନଷ୍ଟ କରିବା ସହ କିଆରି ଏବଂ ହିଡ଼ରୁ ଅନାବନା ଘାସ ଓ ନଡ଼ା ମୂଳି ଗୁଡ଼ିକର ସମ୍ପୁର୍ଣ୍ଣ ବିଲୋପ ଆବଶ୍ୟକ । ଜମିରେ ଠିକ୍ ସମୟରେ ବିହନ ବୁଣାବୁଣି ସାଙ୍ଗକୁ ଫସଲ ପର୍ଯାୟ ଅବଲମ୍ବନ କଲେ ଭଲ ଫଳ ଅବଶ୍ୟ ମିଳିବ । ରୋଗ ପ୍ରତିରୋଧ ତଥା ସହନଶୀଳ ଶକ୍ତି ଥିବା ବିହନର ବ୍ୟବହାର ଏକ ନିରାପଦ ବ୍ୟବସ୍ଥା । ନିରୋଳା ଓ ନିରୋଗ ବିହନର ବ୍ୟବହାର, ସୁଷମ ସାର ପ୍ରୟୋଗ, ଜଳର ସୁପରିଚାଳନା ଏବଂ ଗଛ ଗଛ ମଧ୍ୟରେ ସଠିକ୍ ଦୂରତା ରଖି ଚାଷ କଲେ ଫସଲ ଭଲ ହେବ । ଏଥି ସହିତ ମାଟି ପରୀକ୍ଷା କରି କ୍ଷେତର ଉର୍ବରତା ପ୍ରତି ଉପଯୁକ୍ତ ଧ୍ୟାନ ଦେବା ଆବଶ୍ୟକ ।
ଯାନ୍ତ୍ରୀକ ନିୟନ୍ତ୍ରଣ ପ୍ରଣାଳୀ:
ଏହି ପ୍ରଣାଳୀରେ ରୋଗ ଓ ପୋକଙ୍କ ବିଭିନ୍ନ ଅବସ୍ଥା ଗୁଡ଼ିକୁ ଚାଷୀ ନିଜ ହାତରେ ନଷ୍ଟ କରିଦେବା ଉଚିତ୍ । ଏହା ଛଡ଼ା ଏ କ୍ଷେତ୍ରରେ ଆଲୋକ ଜନ୍ତା ଏବଂ ସଙ୍ଗ ଆକର୍ଷକ ଜନ୍ତା ବ୍ୟବହାର କରାଯାଇପାରେ । ସେହିପରି କିଆରିରେ ବାଉଁଷ କଣିରେ ପକ୍ଷୀ ଆଶ୍ରୟସ୍ଥଳୀ ସ୍ଥାପନ ପୂର୍ବକ ପକ୍ଷୀମାନଙ୍କ ଦ୍ୱାରା ରୋଗପୋକ ନିୟନ୍ତ୍ରଣ କରିବା ଏକ ସହଜ ଉପାୟ ।
ଜୈବ ନିୟନ୍ତ୍ରଣ ପ୍ରଣାଳୀ:
ପ୍ରାକୃତିକ ପରିବେଶରେ ରହିଥିବା ବିଭିନ୍ନ କୃଷି ଉପଯୋଗୀ ପରଭୋଜି, ପରାଶ୍ରୟୀ ଏବଂ ଜୀବାଣୁଙ୍କୁ ବ୍ୟବହାର କରି ଜୈବ ନିୟନ୍ତ୍ରଣ ପଦ୍ଧତିରେ ଅପକାରୀ କୀଟଙ୍କୁ ଦମନ କରାଯାଇପାରେ । ପରଭୋଜି କୀଟ ମଧ୍ୟରେ ଇନ୍ଦ୍ରଗୋପି ଭୃଙ୍ଗ ବା କାଇଁଚ କୀଟ, ବୁଢିଆଣି, ସୂର କଙ୍କି, ବଡ କଙ୍କି, ଝିଣ୍ଟିକା ପ୍ରଭୃତି ଖୁବ ଉପଯୋଗୀ । ଟ୍ରାଇକୋଗାମା, ବ୍ରାକନ, ଚିଲୋନସ୍‌,ଟେଟ୍ରାଷ୍ଟିକସ, ଆପାନଟେଲିସ୍ ଆଦି ପରାଶ୍ରୟୀ କୀଟ କୃଷକର ବନ୍ଧୁ ଭାବେ ଜଣାଶୁଣା । ସେହିପରି ବ୍ୟୁଭେରିଆ, ମେଟାରିଜିୟମ ପ୍ରଭୃତି କୀଟନାଶୀ କବକ, ବ୍ୟାସିଲସ ଭଳି କୀଟନାଶୀ ବୀଜାଣୁ ଏବଂ ଏନ.ପି.ଭି ଗ୍ରେନୁଲୋସିସ ଭଳି କୀଟନାଶୀ ଭୂତାଣୁ ବେଶ ଉପକାରୀ । ଏହା ଛଡ଼ା କୃଷି କ୍ଷେତ୍ରରେ ରୋଗପୋକ ଦମନ ନିମନ୍ତେ ନିମ୍ବ, କରଞ୍ଜ, ବେଲ, ତୁଳସୀ ଆଦି ଗଛର ପତ୍ରରୁ ପ୍ରସ୍ତୁତ ରସାୟନକୁ ମଧ୍ୟ ନିରପଦରେ ବ୍ୟବହାର କରାଯାଇ ପାରେ । ତେବେ ଉପରୋକ୍ତ ପ୍ରଣାଳୀମାନଙ୍କରେ ଯଦି ରୋଗପୋକ ଦମନ ନହୁଏ ତାହାଲେ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ଆବଶ୍ୟକତା ଅନୁସାରେ ଅନୁମୋଦିତ ରାସାୟନିକ ବିଷ ପ୍ରୟୋଗ କରାଯାଇ ପାରେ । ରାସାୟନିକ ବିଷର ବହୁଳ ବ୍ୟବହାର ଯୋଗୁଁ ସୃଷ୍ଟ ବିକଟ ସମସ୍ୟାର ସମାଧାନ କ୍ଷେତ୍ରରେ ଏହି ପଦ୍ଧତି ବିଶେଷ ସହାୟକ ଅଟେ । ଖାଲି ସେତିକି ନୁହେଁ, ଏହା ଚାଷୀ ପାଇଁ ଆର୍ôଥକ ଦୃଷ୍ଟି କୋଣରୁ ବେଶ ଲାଭକାରୀ ହୋଇଥିବା ବେଳେ କମ ଖର୍ଚ୍ଚରେ ଅଧିକ ଉଚ୍ଚମାନର ଉତ୍ପାଦ ପାଇବା ଦିଗରେ ସାହାଯ୍ୟ କରିଥାଏ ।

Previous ବିଟ୍‌ର ଉପକାରିତା
Next ହଳଦୀ ଥିଲେ ପାଖରେ ରୋଗ ମାଡ଼ିବେନି ଘରେ 

No Comment

Leave a reply

Your email address will not be published. Required fields are marked *