ଗରିବଙ୍କ ପୁଷ୍ଟିଯୁକ୍ତ ଖାଦ୍ୟ ମୁଗ ଡାଲି


ରାଜ୍ୟ ଓଡିଶାରେ ମୁଗ ଏକ ମୁଖ୍ୟ ଡାଲି ଜାତୀୟ ଫସଲ । ଏହାକୁ ଗରିବଙ୍କ ପୃଷ୍ଟିସାର ଭାବେ ବିବେଚନା କରାଯାଏ । ଡାଲି ଜାତୀୟ ଖାଦ୍ୟ ମଧ୍ୟରେ ମୁଗ ଡାଲିର ସ୍ୱାଦ ନିଶ୍ଚିତ ରୂପେ ନିଆରା । ବାର୍ଷିକ ପ୍ରାୟ ୮,୩୬,୦୦୦ ହେକ୍ଟର ଜମିରେ ମୁଗ ଚାଷ ହୁଏ । ସେଥିମଧ୍ୟରୁ ବର୍ଷା ଋତୁରେ ହାରାହାରି ୩୦ ଭାଗ, ରବି ଏବଂ ଗ୍ରୀଷ୍ମରେ ହାରାହାରି ୭୦ ଭାଗ ଜମିରେ ଚାଷ କରାଯାଇଥାଏ । ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ପ୍ରାୟ ୧୪,୨୯୦ ହେକ୍ଟର ଜମିରେ ମୁଗ ଚାଷ ହୁଏ । ଚଳିତ ବର୍ଷ ମୁଗର ସର୍ବନିମ୍ନ ସହାୟକ ମୂଲ୍ୟ ୫୨ ଟଙ୍କା ୫୦ ପଇସା ଧାର୍ଯ୍ୟ ହୋଇଛି ।

ପୁଷ୍ଟିମୂଲ୍ୟ- ମୁଗରେ ତିନିଟି ମୁଖ୍ୟ ଅଂଶ ଥାଏ-ଯଥା- ଚୋପା ବା ମଞ୍ଜି ଆବରଣ, ବୀଜପତ୍ର ଓ ଭ୍ରୂଣ । ଏହି ଅଂଶ ଗୁଡିକ ସମ୍ପୂର୍ଣ୍ଣ ମଞ୍ଜିରେ ଯଥାକ୍ରମେ ୧୨%, ୮୬% ଓ ୨% ଥାଏ । ଭ୍ରୂଣରେ ସର୍ବାଧିକ ପରିମାଣରେ ପୃଷ୍ଟିସାର ଓ ଲିପିଡ୍ ଥିବାବେଳେ ବୀଜପତ୍ର ଓ ମଞ୍ଜି ଆବରଣରେ ଯଥାକ୍ରମେ ଶ୍ୱେତସାର ଓ ଅଶୋଧିତ ତନ୍ତୁ ଅଧିକ ପରିମାଣରେ ଥାଏ । ୧୦୦ ଗ୍ରାମ ମୁଗ ଡାଲିରେ ପୁଷ୍ଟିସାର  ପରିମାଣ ପ୍ରାୟ ୨୨.୯ ଗ୍ରାମ । ମୁଗରେ ପୁଷ୍ଟିସାର ବ୍ୟତୀତ ସ୍ନେହସାର, ଶ୍ୱେତସାର, ଅଶୋଧିତ ତନ୍ତୁ, କ୍ୟାଲସିୟମ୍, ଫସ୍ଫରସ, ଲୌହ, ସୋଡିୟମ୍, ପୋଟାସିୟମ, ବିଟା କ୍ୟାରୋଟିନ୍, ଥାୟାମିନ୍, ରିବୋଫ୍ଲାବିନ୍ ଏବଂ ନିଆସିନ୍ ଆଦି ପୋଷକତତ୍ତ୍ୱ ନିହିତ ରହିଛି ।

ଜମି ପ୍ରସ୍ତୁତି- ଫସଲରେ ଯବକ୍ଷାରଜାନ ବିବନ୍ଧନ କ୍ଷମତା ଥିବାରୁ ନିଗିଡା ଜମିରେ ଚାଷ କରାଯିବା ଉଚିତ । ସେଥିପାଇଁ ଜମିରେ ଉପଯୁକ୍ତ ଜଳ ନିଷ୍କାସନ ବ୍ୟବସ୍ଥା କରାଯିବା ଦରକାର । ମାଟିରେ ଉତ୍ତମରୂପେ ବାୟୁ ଚଳାଚଳ ହେଲେ ଗଛର ଚେର ଭଲ ଭାବେ ବଢିଥାଏ । ଚେର ଗଣ୍ଠିରେ ଯବକ୍ଷାରଜାନ ବିବନ୍ଧନ କରୁଥିବା ରାଇଜୋବିୟମ୍ ଜୀବାଣୁ ଅଧିକ ସଂଖ୍ୟାରେ ରହି ବାୟୁମଣ୍ଡଳରୁ ଯବକ୍ଷାରଜାନ ଗ୍ରହଣ କରି ମାଟିରେ ରଖନ୍ତି ଓ ଫସଲକୁ ଯୋଗାଇଥାନ୍ତି । ମୋଡପତ୍ର ଲଙ୍ଗଳ ଦ୍ୱାରା ଥରେ ଗଭୀର ଚାଷ କରି ଦୁଇ ତିନି ଥର ଚକ୍ରବିଦା ଚଳାଇଦେଲେ ମାଟି ଗୁଣ୍ଡ ହୋଇଯାଏ । ନଚେତ୍ ରୋଟାଭେଟର ଦ୍ୱାରା ଚାଷ କଲେ ମାଟି ଭଲ ଭାବେ ଗୁଣ୍ଡ ହୋଇଥାଏ । ଚାଷ ପରେ ମଇ ଦେଇ ଜମିକୁ ସମତୁଲ କରିବା ଆବଶ୍ୟକ । ଜମି ଭଲ ଭାବରେ ସମତୁଲ ଏବଂ ଘାସ ମୁକ୍ତ ହେବା ଦରକାର । ଶେଷ ଓଡ ଚାଷ ବେଳେ ଏକର ପ୍ରତି ୫ ଗାଡି ସଢା ଗୋବର ଖତ ବା କମ୍ପୋଷ୍ଟ ପ୍ରୟୋଗ କରାଯିବା ଉଚିତ । ମୁଗ ଫସଲରେ ଖତ ପ୍ରୟୋଗ କଲେ ପରବର୍ତ୍ତୀ ଧାନ ଫସଲ ମଧ୍ୟ ଏଥିରୁ ଉପକାର ପାଇଥାଏ ।

ବିହନ ବିଶୋଧନ ଓ ଉପଚାର – ମୁଗ ଚାଷରେ ଏକର ପ୍ରତି ୧୦ ଗ୍ରାମ ବିହନ ଆବଶ୍ୟକ । ୧ କି.ଗ୍ରା. ବିହନକୁ ୩ ଗ୍ରାମ କ୍ୟାପଟାନ୍ ବା ଥିରାମ୍ କିମ୍ବା ୧.୫ ଗ୍ରାମ କାର୍ବେଣ୍ଡାଜିମ୍ ସହିତ ଗୋଳାଇ ବିହନ ବୁଣିବାର ଏକ ସପ୍ତାହ ପୂର୍ବରୁ ବିଶୋଧନ କରିବା ଉଚିତ । ମାଠିଆ ବା ଡ୍ରମ୍ ସାହାଯ୍ୟରେ ବିହନ ବିଶୋଧନ କରିବା ଉଚିତ ।

ବିହନ ବୁଣା – ବିଶୋଧିତ ଓ ଉପଚାରିତ ବିହନକୁ ଧାଡିକି ଧାଡି ୨୫-୩୦   ସେ.ମି. ଓ ଗଛକୁ ଗଛ ୧୦ ସେ.ମି. ବ୍ୟବଧାନରେ ବୁଣିବା ଉଚିତ । ବିହନ ବୁଣା ଲଙ୍ଗଳ କିମ୍ବା ଧାଡିବୁଣା ଯନ୍ତ୍ର ଦ୍ୱାରା ମଞ୍ଜି ବୁଣିଲେ ଆବଶ୍ୟକ ବ୍ୟବଧାନ ସହିତ ଠିକ୍ ଗଭୀରରେ ମଞ୍ଜି ପଡେ । ଖତ ସାର – ଜମି ପ୍ରସ୍ତୁତି ପୂର୍ବରୁ ଏକର ପ୍ରତି ୫ ଗାଡି ସଢା ଖତ ବା କମ୍ପୋଷ୍ଟ ପ୍ରୟୋଗ କରିବା ଆବଶ୍ୟକ । ବିହନ ବୁଣିବା ପୂର୍ବରୁ ଶେଷ ଓଡ ଚାଷ ବେଳେ ଏକର ପ୍ରତି ୮ କି.ଗ୍ରା. ଯବକ୍ଷାରଜାନ, ୧୬ କି.ଗ୍ରା. ଫସଫରସ୍ ଓ ୮ କି.ଗ୍ରା ପଟାସ୍ ସାର ମାଟିରେ ପ୍ରୟୋଗ କଲେ ଅଧିକ ମୁଗ ଉତ୍ପାଦନ ହୋଇଥାଏ । ଏହାପରେ ଖତ ଓ ସାରକୁ ମାଟିରେ ଭଲ ଭାବରେ ମିଶାଇ ଧାଡିରେ ବିହନ ବୁଣାଯିବା ଆବଶ୍ୟକ । ଏକର ପ୍ରତି ୪୦ କି.ଗ୍ରା. ଡି.ଏ.ପି ପ୍ରୟୋଗ କଲେ ଯବକ୍ଷାରଜାନ ଓ ଫସଫରସ୍ ଆବଶ୍ୟକତା ପୂରଣ ହୋଇଥାଏ । ରାସାୟନିକ ସାରକୁ ଲଙ୍ଗଳ ସିଆରରେ ୨ ଇଞ୍ଚ ଗଭୀରରେ ପ୍ରୟୋଗ କରିବା ଉଚିତ ।

ରୋଗ ପୋକ ଓ ପ୍ରତିକାର- ମୁଗ ଫସଲର ପ୍ରଧାନ ଶତୃ ହେଲେ ଧଳାମାଛି, ପତ୍ର ଡିଆଁ ପୋକ, ଜଉ ପୋକ, ଉକୁଣିଆ ପୋକ, ଛୁଇଁ ଶୋଷକ ବଗ୍, କାଣ୍ଡ ମାଛି, ଫ୍ଲି ଭୃଙ୍ଗ, ନୀଳ ପ୍ରଜାପତି, ଫଳ ବିନ୍ଧା ପୋକ, ଧୂଆଁ ପତ୍ର ଶୂକ, ଛଞ୍ଚାଣ ପୋକ ଏବଂ ବାଘୁଆ ପୋକ । ପାଉଁଶିଆ ରୋଗ ପାଇଁ ପ୍ରତି ଲିଟର ପାଣିରେ କାର୍ବେର୍ଣ୍ଡାଜିମ୍ ୧ ଗ୍ରାମ କିମ୍ବା ଥାୟାଫେନେଟ୍ ମିଥାଇଲ୍ ୧ ମି.ଲି. କିମ୍ବା ଟ୍ରାଇଡେମର୍ଫ ୧ ମି.ଲି. ମିଶାଇ ୧୫ ଦିନ ବ୍ୟବଧାନରେ ଦୁଇଥର ସିଞ୍ଚନ କଲେ ସୁଫଳ ମିଳିପାରିବ । ସଲଫର୍ ସେଚିତ ଗୁଣ୍ଡ/ମାଙ୍କୋଜେବ୍ ୩ ଗ୍ରାମ କିମ୍ବା ଟ୍ରାଇଡେମର୍ଫ-୧ ମି.ଲି. ହିସାବରେ ଏକ ଲିଟର ପାଣିରେ ମିଶାଇ ସିଞ୍ଚନ କଲେ ମୁଗ ଫସଲକୁ କଳଙ୍କି ରୋଗ ଦାଉରୁ ରକ୍ଷା କରାଯାଇପାରିବ । ପତ୍ରଜାଲି ପୋଡା ରୋଗକୁ ଦମନ କରିବାକୁ ହେଲେ ପ୍ରତି ୧ ଲିଟର ପାଣିରେ ୩ ଗ୍ରାମ ହିସାବରେ ମାଙ୍କୋଜେବ/କପର ଅକ୍ସିକ୍ଲୋରାଇଡ କିମ୍ବା କାର୍ବେଣ୍ଡାଜିମ୍/ଥାୟାଫେନେଟ୍ ମିଥାଇଲ ମିଶାଇ ସିଞ୍ଚନ କରିବା ଉଚିତ ।

ଅମଳ – ଗଛ ହଳଦିଆ ପଡି ପତ୍ର ଗୁଡିକ ଶୁଖିବା ଆରମ୍ଭ କଲେ ଏବଂ ଛୁଇଁ ସାମାନ୍ୟ କଳା ପଡି ଆସିଲେ ଫସଲ ଅମଳ କରିବା ଆବଶ୍ୟକ । ବର୍ଷା ଦିନେ ଏକ ସମୟରେ ମୁଗ ପାକଳ ହୁଏନାହିଁ । ସେଥିପାଇଁ ୨ କିମ୍ବା ୩ ଥର ପାକଳ ଛୁଇଁ ତୋଳି ଅମଳ କରିବା ଉଡିତ । ଛୁଇଁ ଅମଳ ପରେ ଚାଷ କରି ମୁଗ ଗଛକୁ ମାଟିରେ ମିଶାଇଦେଲେ ମୃତ୍ତିକାର ଉର୍ବରତା ବୃଦ୍ଧି ପାଏ ।

ସୌଜନ୍ୟ – ଓଡ଼ିଶା ପଞ୍ଚାୟତ ସମାଚାର

Previous ଜନଜାତି ମହିଳାଙ୍କ ସ୍ଥିତି ସୁଧାରିଛି ଆମ୍ବ ଚାଷ
Next ମହେନ୍ଦ୍ରଙ୍କ ସ୍ୱାବଲମ୍ବୀ ଗ୍ରାମ ଗଠନ ଅଭିଯାନ

No Comment

Leave a reply

Your email address will not be published. Required fields are marked *