ବତକ ଚାଷ: କମ ଖର୍ଚ୍ଚ, ଅଧିକ ଲାଭ

economically duck farming

ବତକମାନେ ବର୍ଷକୁ ୨୬୦ ରୁ ୨୮୦ ଟି ଅଣ୍ଡା ଦେଇଥାନ୍ତି । ଏମାନଙ୍କର ରୋଗ ପ୍ରତିରୋଧକ କ୍ଷମତା କୁକୁଡ଼ାମାନଙ୍କ ଅପେକ୍ଷା ଅଧିକ । ବତକ ଅତି ସାଧାରଣ ଖାଦ୍ୟ ଯଥା:- ଅଗଣାରେ ପଡ଼ିଥିବା ଖାଦ୍ୟ ଶସ୍ୟ, ପୋକଜୋକ, କେଞ୍ଚୁଆ, ଗେଣ୍ଡା,ଛୋଟ ଛୋଟ ମାଛ ପ୍ରଭୃତି ସଂଗ୍ରହ କରି ଖାଇଥାନ୍ତି । ବତକ ପାଳନ ପାଇଁ ଉନ୍ନତ ଧରଣର ଘର ଦରକାର ହୋଇନଥାଏ । କୁକୁଡ଼ା ଚାଷ ପାଇଁ ଅନୁପଯୁକ୍ତ ସନ୍ତସନ୍ତିଆ ଜାଗା ବତକ ପାଳନ ପାଇଁ ଉପଯୋଗୀ । ମାଛ ଚାଷ ସହିତ ସଘନ ବତକ ଚାଷ କରି କମ ଖର୍ଚ୍ଚରେ ଅଣ୍ଡା ଉତ୍ପାଦନ ସମ୍ଭବ । ଯଦିଓ ବତକମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଅଧିକ ତଥାପି ସେମାନେ ବେଳେବେଳେ ବତକ ହଇଜା ଓ ବତକ ପ୍ଲେଗ ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ତେଣୁ ସେମାନଙ୍କୁ ନିମ୍ନଲିଖିତ ଟିକା ଦେବା ସହ ପ୍ରତି ୪ମାସ ଅନ୍ତରରେ ‘ପାଇପାରାନିସ’ ଭଳି କୃମି ନାସକ ଔଷଧ ଦେବା ଆବଶ୍ୟକ । ଏଥି ସହିତ ଲିଭର ଟନିକ୍‌, କ୍ୟାଲସିୟମ ଓ ଖଣିଜ ଦ୍ରବଣ ମଧ୍ୟ ଦେବା ବିଧେୟ ।ବତକ ଚିଆଁ ୩-୪ ସପ୍ତାହର ହୋଇଥିବା ବେଳେ ବତକ ହଇଜା ଓ ପ୍ଲେଗର ଟିକା ଏକ ମିଲି ଲିଟର ହିସାବରେ ବତକର ଚମଡ଼ା ତଳେ ଦିଆଯାଇଥାଏ । ଏହାର ୪ ସପ୍ତାହ ପରେ ପ୍ରତି ବତକକୁ ୨ମିଲି ଲିଟର ହିସାବରେ ପୁଣିଥରେ ଦେବା ଉଚିତ ।
ଉଭୟ ଅଣ୍ଡା ଉତ୍ପାଦନ ଓ ମାଂସ ପାଇଁ ବତକ ପାଳନ କରାଯାଏ । ଅଣ୍ଡା ପାଇଁ ଖାକି କ୍ୟାମ୍ପବେଲ, ଇଣ୍ଡିଆନ ରନର ଏବଂ ମାଂସ ପାଇଁ ଧଳା ପେକିନ୍ ବତକ ପାଳନ କରାଯାଏ । ଖାକି କ୍ୟାମ୍ପବେଲ ବର୍ଷକୁ ୨୬୦ରୁ୨୮୦ଟି ଅଣ୍ଡା ଦେଉଥିବା ବେଳେ ଧଳା ପେକିନ୍ ୮ ସପ୍ତାହରେ ପ୍ରାୟ ୩ କେଜି ଓଜନ ବଢିଥାଏ । ବତକ ପାଳନ ପାଇଁ ଅର୍ଦ୍ଧ ଆବଧ ଏବଂ ଅର୍ଦ୍ଧ ଖୋଲା ଘର ଦରକାର ହୋଇଥାଏ । ଘର ଅଗଣାରେ ୧୫-୨୦ଟି ବତକ ନେଇ ଲାଳନ ପାଳନ କଲେ ତାହା ମଧ୍ୟ ଲାଭଜନକ ହୋଇଥାଏ । ଅଣ୍ଡା ଦିଆ ବତକ ବର୍ଷକୁ ପ୍ରାୟ ୫୦-୬୦ କେଜି ସୁଷମ ଖାଦ୍ୟ ଆବଶ୍ୟକ କରିଥାଏ । କିନ୍ତୁ ଅଧା ଆବଧ ଓ ଅଧା ଖୋଲା ପରିଚାଳନ ପଦ୍ଧତିରେ ମାତ୍ର ୮-୧୦ କିଲୋ ଦାନା ଦରକାର ହୋଇଥାଏ । ନିଜ ଅଞ୍ଚଳରେ ମିଳୁଥିବା ଖାଦ୍ୟ ସାମଗ୍ରୀକୁ ନେଇ ହାତ ତିଆରି ଦାନା ପ୍ରସ୍ତୁତ କଲେ ଅଧିକ ଲାଭ ମିଳିଥାଏ । ବତକ ଛୁଆଙ୍କୁ ୩-୪ ସପ୍ତାହ ପର୍ଯ୍ୟନ୍ତ ଅତି ଯତ୍ନ ସହକାରେ ଧାନ ଚଷୁ ବା କରତ ଗୁଣ୍ଡ ବିଛାଇ ବ୍ରୁଡର ତଳେ ରଖି ବିଜୁଳି ଆଲୁଅ ସାହାଯ୍ୟରେ ନିର୍ଦ୍ଦିଷ୍ଟ ଉତ୍ତାପ ଦିଆଯାଇ ପାଳନ କରାଯାଏ । ନିକଟବର୍ତ୍ତି ଅଞ୍ଚଳରେ ଜଳାଶୟ ନଥିଲେ ଛୋଟ ପାଣି କୁଣ୍ଡଟିଏ ବତକ ପାଇଁ ରଖିବା ନିହାତି ଆବଶ୍ୟକ । ଏହା ଦ୍ୱାରା ବତକଟି ନିଜ ଥଣ୍ଟ ଓ ଆଖି ସଫା କରିଥାଏ । ଫିମ୍ପି ଲାଗିଥିବା ଦାନା ବତକଙ୍କୁ ଦିଅନ୍ତୁ ନାହିଁ । ସୁଲଭ ମୁଲ୍ୟରେ ମିଳୁଥିବା ଦିନିକିଆ ବତକ ଛୁଆ ସାଙ୍ଗକୁ ସ୍ଥନୀୟ ଉପଲବ୍ଧ ଖାଦ୍ୟ ଶସ୍ୟ ସଂଗ୍ରହ କରି ସଘନ ଚାଷ ଜରିଆରେ ବେଶି ଲାଭବାନ ହୁଅନ୍ତୁ ।

Previous ନଡ଼ିଆ ଦେଇଛି ପରିଚୟ
Next ବଜେଟ ୨୦୨୦-୨୧ ଉପସ୍ଥାପିତ : ଫୋକସରେ ଶିକ୍ଷା,ସ୍ୱାସ୍ଥ୍ୟ-ଚାଷୀ

No Comment

Leave a reply

Your email address will not be published. Required fields are marked *