ଆମ ସମ୍ପର୍କରେ


ସଂକଳ୍ପ ବିଗତ ଦୁଇ ଦଶନ୍ଧି ଧରି ଓଡ଼ିଶାର ଏକ ପ୍ରମୁଖ ମିଡିଆ ଅନୁଷ୍ଠାନ ଭାବେ ଜଣାଶୁଣା । ସାମ୍ପ୍ରତିକ ଘଟଣାବଳୀ ଭିତ୍ତିକ କାର୍ଯ୍ୟକ୍ରମ ‘ଓଡ଼ିଶା ଡାଏରୀ’ ଓ ବିକାଶ ଭିତ୍ତିକ କାର୍ଯ୍ୟକ୍ରମ ‘ସୁନାର ଓଡ଼ିଶା’ ସମେତ ବିଭିନ୍ନ ଟେଲିଭିଜନ ଓ ରେଡିଓ କାର୍ଯ୍ୟକ୍ରମ ଜରିଆରେ ସଂକଳ୍ପ ରାଜ୍ୟର ଘରେଘରେ ପରିଚିତ ହେବାର ସୁଯୋଗ ପାଇଛି । ପ୍ରମୁଖ ସମ୍ବାଦପତ୍ର ଏବଂ ଟେଲିଭିଜନ ସାମ୍ବାଦିକତାରେ ୩୫ ବର୍ଷରୁ ଉର୍ଦ୍ଧ୍ଵ କାର୍ଯ୍ୟ କରିଆସିଥିବା ବରିଷ୍ଠ ସାମ୍ବାଦିକ ଅଶୋକ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ‘ସଂକଳ୍ପ’ ହେଉଛି କିଛି ଅଭିଜ୍ଞ ସାମ୍ବାଦିକ, ସ୍ତମ୍ଭକାର, କଳାକାର, କ୍ୟାମେରାମ୍ୟାନ୍, ଭିଜୁଆଲ୍ ଏଡିଟର୍ ଏବଂ ସହଯୋଗୀ ମାନଙ୍କର ଏକ ନିଆରା ପରିବାର, ଯେଉଁଠି ସମସ୍ତେ ମିଡିଆକୁ ବିକାଶର ଏକ ମାଧ୍ୟମ ଭାବେ ଉପଯୋଗ କରିବାକୁ ସଦା ଚେଷ୍ଟିତ ।

ଓଡ଼ିଶା ଡାଏରି ଓ ସୁନାର ଓଡ଼ିଶା ବ୍ୟତୀତ ଅତୀତରେ ଆମରି କଥା, ସ୍ପନ୍ଦନ, ଭିନ୍ନ ମଣିଷ, ରୋଜଗାର ଓଡ଼ିଶା, ଆମ ସ୍କୁଲ ଡଟ୍ କମ୍, ଟାର୍ଗେଟ୍-ଏଚ୍ଏସ୍‌ସି, ଲେଟ୍‌ସ ଲର୍ଣ୍ଣ ଇଂଲିଶ୍, ପ୍ରେରଣା, ଆମ ସ୍ୱର ଆମ ପ୍ରଗତି, ଜୀବନ ଜୀବିକା, ଜୀବନ ଧାରା, ଆମ ଗାଁ ଆମ କାମ, ଆଶା କୀ କିରନ୍ ଓ ନୟା ସବେରା ଭଳି ଅନେକ ଉତ୍କୃଷ୍ଟ ମାନର ବୃତ୍ତ ଚିତ୍ର, ଟିଭି ଓ ରେଡିଓ କାର୍ଯ୍ୟକ୍ରମ, ଶିକ୍ଷା ଓ ତାଲିମ ଭିତ୍ତିକ କାର୍ଯ୍ୟକ୍ରମ ପ୍ରସ୍ତୁତ କରି ‘ସଂକଳ୍ପ’ ବିକାଶ ମୂଳକ ସାମ୍ବାଦିକତାକୁ ଗୁରୁତ୍ୱ ଦେଇଆସିଛି । ଓଡ଼ିଶା ଏବଂ ଅନ୍ୟ ରାଜ୍ୟର ବିଭିନ୍ନ ଚ୍ୟାନେଲ ପାଇଁ ଟିଭି ଓ ରେଡିଓ କାର୍ଯ୍ୟକ୍ରମ ପ୍ରସ୍ତୁତି ବ୍ୟତୀତ ‘ସଂକଳ୍ପ’ ପକ୍ଷରୁ ଉଭୟ ୩୫ ମି.ମି. ଏବଂ ଡିଜିଟାଲ୍ ଫର୍ମାଟରେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ବିଭିନ୍ନ ବିଭାଗ ଏବଂ ଅନେକ ପ୍ରତିଷ୍ଠିତ କମ୍ପାନୀ ପାଇଁ ବୃତ୍ତଚିତ୍ର ଏବଂ ପ୍ରଶିକ୍ଷଣ ଫିଲ୍ମକୁ ରୂପ ଦେଇଛି । ଜାତୀୟ ଚଳଚିତ୍ର ବିକାଶ ନିଗମ (ଏନ୍ଏଫ୍‌ଡିସି), ଓର୍‌ସାକ୍ ଏବଂ ଏସ୍ଆଇଆର୍‌ଡି-ପିଆର୍ ଭଳି ଅନୁଷ୍ଠାନ ଦ୍ୱାରା ସ୍ୱୀକୃତିପ୍ରାପ୍ତ ପ୍ରଯୋଜନା ସଂସ୍ଥା ଭାବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଇଁ ୬୦୦ରୁ ଅଧିକ କାର୍ଯ୍ୟକ୍ରମ ପ୍ରସ୍ତୁତି ‘ସଂକଳ୍ପ’ ପାଇଁ ଏକ ନିଆରା ଅନୁଭବ ।

ତୃଣମୂଳ ବିକାଶରେ ସହାୟତା ପାଇଁ ପଞ୍ଚାୟତିରାଜ ଅନୁଷ୍ଠାନର ଲକ୍ଷାଧିକ କର୍ମକର୍ତ୍ତାଙ୍କ ପାଖରେ ଉପଯୋଗୀ ତଥ୍ୟ ଓ ଅନ୍ୟାନ୍ୟ ଖବର ନିୟମିତ ପହଞ୍ଚାଇବାକୁ ଏସ୍ଆଇଆର୍‌ଡି-ପିଆର୍ ପକ୍ଷରୁ ପ୍ରକାଶ ପାଉଥିବା ସାପ୍ତାହିକୀ ‘ଓଡ଼ିଶା ପଞ୍ଚାୟତ ସମାଚାର’ର ବାର୍ତ୍ତା ସମ୍ପାଦନା, ଅଳଂକରଣ ଓ ଉପସ୍ଥାପନା ଦାୟିତ୍ୱ ନେଇ ‘ସଂକଳ୍ପ’ ସାରାଦେଶରେ ଏକ ଅଭିନବ ପ୍ରୟାସରେ ନିଜକୁ ସାମିଲ କରିଛି ।

ଆଜିକାଲି ସ୍ମାର୍ଟ ଫୋନ ଓ କମ୍ପ୍ୟୁଟରର କ୍ରମବର୍ଦ୍ଧିଷ୍ଣୁ ବ୍ୟବହାର ପରିପ୍ରେକ୍ଷୀରେ ‘ସଂକଳ୍ପ ଓଡ଼ିଶା’ ଇ-ପୋର୍ଟାଲ୍ ଆମର ସଦ୍ୟତମ ପ୍ରୟାସ । ଏଥିରେ କିଛି ମୁଖ୍ୟ ଖବର ବ୍ୟତୀତ ଶିକ୍ଷା, ସ୍ୱାସ୍ଥ୍ୟ, ବୃତ୍ତି, ପର୍ଯ୍ୟଟନ, କ୍ରୀଡା, କଳା ସଂସ୍କୃତି, ସିଏସ୍ଆର୍ ଓ ଗ୍ରାମୀଣ ବିକାଶ ଆଦିକୁ ପ୍ରାଧାନ୍ୟ ଦେଇ ସାଧାରଣ ଭାବେ ସମସ୍ତଙ୍କ କାମରେ ଲାଗିବା ଭଳି ତଥ୍ୟ ଓ ସୂଚନା ମାନ ଲେଖା, ଫଟୋଚିତ୍ର ଓ ଭିଡିଓ ମାଧ୍ୟମରେ ସ୍ଥାନିତ ହେବ । ସମସ୍ତଙ୍କୁ ନିଜ ହାତ ପାହାନ୍ତାରେ ଓ ମାଗଣାରେ ବିଭିନ୍ନ ତଥ୍ୟ, ସୂଚନା, ତାଲିମ ଓ ଶିକ୍ଷା ଆଦି ଉପଲବ୍ଧ କରାଇବା ପାଇଁ ଏହି ପ୍ରୟାସରେ ‘ସଂକଳ୍ପ’ ସମସ୍ତଙ୍କର ସହଯୋଗ ଓ ସମ୍ପୃକ୍ତି କାମନା କରୁଛି ।